Friday, 3 August 2018

ଓଡିଶା ମୁହାଁ ବଙ୍ଗଳାଦେଶୀ


ଭୁବନେଶ୍ୱର, ୩/୮ ନ୍ୟାସନାଲ ରେଜିଷ୍ଟାର ଅଫ ସିଟିଜେନ (ଏନଆରସି) ପକ୍ଷରୁ ଜାରି ହୋଇଥିବା ଚୂଡାନ୍ତ ଡ୍ରାଫ୍ଟ ଅନୁଯାୟୀ ଆସାମରେ ୨ କୋଟି ୮୯ଲକ୍ଷ ୮୩ ହଜାର ୬୭୭ ବ୍ୟକ୍ତିଙ୍କୁ ନାଗରିକତ୍ୱ ମିଳିଥିବାବେଳେ ୪୦ଲକ୍ଷ ନାଗରିକଙ୍କୁ ଅବୈଧ ଦର୍ଶାଯାଇଛି । ଆସାମରେ ନାଗରିକତ୍ୱ ପାଇଁ ୩ କୋଟି ୨୯ ଲକ୍ଷ ୯୧ ହଜାର ୩୮୪ ଜଣ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୪୦ଲକ୍ଷ ୭ ହଜାର ୭୦୭ ଜଣଙ୍କ ନାଗରିକତ୍ୱ ବାତିଲ ହୋଇଥିବାବେଳେ ଅବଶିଷ୍ଟଙ୍କୁ ନାଗରିକତ୍ୱର ମାନ୍ୟତା ମିଳିଛି । ବାତିଲ ହୋଇଥିବା ବ୍ୟକ୍ତି ବିଶେଷଙ୍କ ପାଖରେ ପର୍ଯ୍ୟାପ୍ତ ଦସ୍ତାବିଜ ନାହିଁ ଓ ସେମାନେ ନାଗରିକତ୍ୱ ପ୍ରମାଣିତ କରିବାରେ ବିଫଳ ହେବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏମାନେ ମୁଖ୍ୟତଃ ବାଙ୍ଗଲାଦେଶୀ ଅନୁପ୍ରବେଶକାରୀ । ଏହି ବାଙ୍ଗଲାଦେଶୀ ମାନେ ଏବେ ଓଡିଶା ମୁହାଁ । ସମୁଦ୍ର ଓ ଟ୍ରେନ ଯୋଗେ ସେମାନେ ଓଡିଶା ଆସୁଥିବା ଗୁଇନ୍ଦା ସୂଚନା ମିଳିବା ପରେ ତଟରକ୍ଷୀ ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ ଉପକୂଳବର୍ତ୍ତୀ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ କରିବା ସହ ସମୁଦ୍ରରେ ପାଟ୍ରୋଲିଂ ଜୋର କରିବାକୁ କହିଛନ୍ତି । ବିଶେଷକରି ରାଜ୍ୟର ସମୁଦ୍ର ତଟୀୟ ଅଞ୍ଚଳ କେନ୍ଦ୍ରାପଡ଼ା, ଜଗତସିଂହପୁର, ଚାନ୍ଦିପୁର, ଭଦ୍ରକ, ଧାମରା, ପାରାଦ୍ୱୀପ ଇତ୍ୟାଦି ସ୍ଥାନରେ ହାଇଆଲର୍ଟ ଜାରି କରାଯାଇଛି । ୭୬୦୦ କିଲୋମିଟର ଭାରତୀୟ ସମୁଦ୍ର ତଟୀୟ ଉପକୂଳ ମଧ୍ୟରୁ ଓଡ଼ିଶା ଉପକୂଳରେ ପ୍ରାୟ ୪୮୦ କିଲୋମିଟର ସାମୁଦ୍ରିକ ବେଳାଭୂଇଁ ଦକ୍ଷିଣରେ ଗୋପାଳପୁରଠାରୁ ପୂର୍ବରେ ଦୀଘା ପର୍ଯ୍ୟନ୍ତ ବ୍ୟାପୀ ରହିଛି । ଉପକୂଳବର୍ତ୍ତୀ ସନ୍ତ୍ରାସବାଦୀ ଆକ୍ରମଣ ଓ ଅନୁପ୍ରବେଶ ମୁକାବିଲା ପାଇଁ ୨୦୦୫ ମସିହା ଜେନେରାଲ ସିକ୍ୟୁରିଟି ସ୍କିମ୍‍ ଅନୁଯାୟୀ କେନ୍ଦ୍ର ସରକାର ଏକ ଅତ୍ୟାଧୁନିକ ତ୍ୱରିତ ସାମୁଦ୍ରିକ ପୁଲିସବାହିନୀ ଓ ତଟରକ୍ଷୀ ପୁଲିସ ଥାନାମାନ ସ୍ଥାପନ କରିବାର ନିଷ୍ପତ୍ତି ନେଇଥିଲେ । ରାଜ୍ୟର ୪୮୦ କିମି ବ୍ୟାପ୍ତ ଉପକୂଳରେ ପାଟ୍ରୋଲିଂ ପାଇଁ ୧୮ଟି ବୋଟ ମଧ୍ୟ ରହିଛି । ସେଗୁଡିକ ନିଷ୍କ୍ରୀୟ ପ୍ରାୟ । କିଛି ବର୍ଷ ତଳେ ଉପକୂଳ ଥାନାଗୁଡ଼ିକୁ କେନ୍ଦ୍ର ସରକାର ୧୮ଟି ଯନ୍ତ୍ରଚାଳିତ ଡ଼ଙ୍ଗା ଯୋଗାଇ ଦେଇଥିଲେ  । ମାତ୍ର ଏହି ଯନ୍ତ୍ରଚାଳିତ ଡ଼ଙ୍ଗାଗୁଡ଼ିକ କେବଳ ଗଭୀର ଜଳରେ ଚଳନକ୍ଷମ  । ଅଗଭୀର ଅଞ୍ଚଳରେ ଏହା ଚଳାଚଳ ସକ୍ଷମ ହେଉନାହିଁ । ତେଣୁ ଉଭୟ ଗଭୀର ଓ ଅଗଭୀର ଜଳରେ ଚଳାଚଳ କରି ପାରୁଥିବା ଡ଼ଙ୍ଗା ଯୋଗାଇ ଦେବାକୁ ରାଜ୍ୟ ସରକାର ଅନୁରୋଧ କରି ଚୁପ ହୋଇ ବସିଯାଇଥିଲେ । ଏହାର ସୂଯୋଗ ନେଇ ମତ୍ସ୍ୟଜୀବୀର ଛଦ୍ମବେଶରେ ଛୋଟ ଟ୍ରଲର ଓ ହୁଲି ଡଙ୍ଗା ସାହାଯ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀଗଣ ଓଡ଼ିଶାର ଉପକୂଳ ଅଞ୍ଚଳମାନଙ୍କରେ ପର୍ଯ୍ୟାପ୍ତ ସଂଖ୍ୟାରେ ଅକ୍ଳେଶରେ ପ୍ରବେଶକରି ପର୍ଯ୍ୟାୟକ୍ରମେ ଏହାର ମାଳ ଅଞ୍ଚଳମାନଙ୍କୁ ମାଡିଗଲେଣି । ଏବେ ଆସାମରୁ ହଜାର ହଜାର ସଂଖ୍ୟକ ବାଙ୍ଗଲାଦେଶୀ ଓଡିଶାକୁ ପଶିଆସିବାକୁ ଉଦ୍ରମ କରୁଛନ୍ତି । ଅନୁପ୍ରବେଶକୁ ରୋକିବାପାଇଁ ଭାରତ ସରକାରଙ୍କ ନିର୍ଦେଶାନୁଯାୟୀ ଓଡ଼ିଶା ସରକାର ଏହାର ବ୍ୟାପକ ଉପକୂଳ ଅଞ୍ଚଳ, ବିଶେଷତଃ ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଦକ୍ଷିଣ ଓଡ଼ିଶାର ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ପ୍ରଭୃତି ଅଞ୍ଚଳରେ ଜବରଦଖଲକାରୀ ଅନୁପ୍ରବେଶକାରୀମାନଙ୍କୁଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲାର ୧୫୫୧ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟକରି ଦେଶ ତ୍ୟାଗ କରିବାକୁ ନୋଟିସ ଦେବାମାତ୍ରେ ସେମାନଙ୍କ ଭୋଟରେ ଅତୀତରେ ଉପକୃତ ହୋଇଥିବା ଅଥବା ଭବିଷ୍ୟତରେ ଭୋଟ ପାଇବା ଆଶା ରଖି କେତେକ ଦୁର୍ନୀତିଗ୍ରସ୍ତ ରାଜନୈତିକ ଭୋଟ ବେପାରୀ ଏହି ଦେଶାନ୍ତର ନୋଟିସକୁ ରାଜନୈତିକ ରଙ୍ଗ ଦେଇ, ଏମାନଙ୍କ ତରଫରୁ ତତକାଳୀନ ୟୁପିଏ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ନିକଟରେ ଓକିଲାତି କରିବାପାଇଁ ପରସ୍ପର ମଧ୍ୟରେ ପ୍ରତିଯୋଗିତା ଆରମ୍ଭ କରିଦେଇଥିଲେ । ଫଳ ସ୍ୱରୂପ ଏବେ ଓଡିଶଶରେ ୨୦ ଲକ୍ଷରୁ ଅଧିକ ବାଙ୍ଗଲାଦେଶୀ ରହୁଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । କେବଳ ବାଷଲଶ୍ୱରରେ ୪ଲକ୍ଷ ବାଙ୍ଗଲାଦେଶୀ ରହୁଛନ୍ତି । ଏବେ ରାଜ୍ୟର ଆଦିବାସୀବହୁଳ ଜିଲା ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ସମ୍ବଲପୁର, କୋରାପୁଟ, ମାଲକାନଗିରି ଆଦିକୁ ମଧ୍ୟ ବାଂଲାଦେଶୀମାନେ ପଶିଯାଇ ଯେନତେନ ପ୍ରକାରେ ନିଜର ପରିଚୟପତ୍ର ହାସଲ କରି ରହୁଛନ୍ତି । ଏଥିରେ ସ୍ଥାନୀୟ ନେତା ଓ ସରକାରୀ କର୍ମଚାରୀ ସେମାନଙ୍କୁ ସହାୟତା ଦେଉଛନ୍ତି । ଏଭଳି ସମୟରେ ଆସାମରୁ ଆସୁଥିବା ବାଙ୍ଗଲାଦେଶୀ ଓଡିଶାରେ ବିପର୍ଯ୍ୟୟ ଘଟାଇବେ ବୋଲି ଆଶଙ୍କା କରାଯାଉଛି

No comments:

Post a Comment