Saturday, 4 August 2018
ମମତାଙ୍କର ମମତା ନା ବିଭାଜନକାରୀ ମାନସିକତା
-ଗୋଲଖ ଚନ୍ଦ୍ର ଦାସ
କହିଲେ କଲେନି କିନ୍ତୁ ନକହି ନକହି କରିଦେଲେ । ଯିଏ ହୋ ହାଲ୍ଲା କରି ବିରୋଧ କରୁଥିଲେ ଆଜି ସେମାନେ ରକ୍ଷକ ହେବା ପାଇଁ ପାଟିତୁଣ୍ଡ କରୁଛନ୍ତି । କଣ ପାଇଁ ନାଟକ । ଏ ନାଟକ ପାଇଁ କୁଆଡେ ଦେଶରେ ଗୃହ ଯୁଦ୍ଧ ହେବ,ରକ୍ତର ନଦୀ ବୋହିବ, ଏକଥା କେହି ସାଧାରଣ ଜନତା କହୁନି,ଜଣେ ଦାୟିତ୍ୱବାନ ନାଗରୀକ କହୁଛନ୍ତି, ଜଣେ ମୁଖ୍ୟମନ୍ତ୍ରୀ କହୁଛନ୍ତି, କଣ ପାଇଁ କହୁଛନ୍ତି ? ସେ ଠିକ୍ କହୁଛନ୍ତି ନା ଭୂଲ କହୁଛନ୍ତି, ଆପଣ କେବେ ବିଚାର କରିଛନ୍ତି ?
ଆସାମରେ ଜାତୀୟ ନାଗରିକ ପଞ୍ଜୀକରଣ (ଏନ୍ଆରସି) ଚିଠା ବିଭ୍ରାଟରୁ ସୃଷ୍ଟି ହୋଇଛି ଏ ନାଟକ । ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଚାଲିଛି ଏହି ଚର୍ଚ୍ଚା । ଆସାମ ସରକାର କୁଆଡେ ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବୋଲି ଟିଏମ୍ସି ନେତାମାନେ ଦାବି କରିଛନ୍ତି । ଦେଶରେ ଅନ୍ୟାୟ, ଅତ୍ୟାଚାର ବଢି ଚାଲିଛି । ଭାରତରେ ସୁପର ଇମରଜେନ୍ସି ଲାଗୁ ହୋଇଛି । ଖୋଦ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଆଶଙ୍କା ପ୍ରକାଶ କରିଛନ୍ତି ଯେ, ଦେଶରେ ଗୃହ ଯୁଦ୍ଧ ହୋଇଯିବ । ଏଥିରୁ ନିଶ୍ଚୟ ଅବଗତ ହେଉଥିବେ ଯେ,ଦେଶ ରକ୍ଷା ପାଇଁ ମମତାଙ୍କର ମମତା କେତେ ବଢି ଯାଇଛି । ଦିନଥିଲା ୨୦୦୫ରେ ବିରୋଧୀ ଦଳର ସଦସ୍ୟ ଥିବା ମମତା ପଶ୍ଚିମବଙ୍ଗରେ ବାଂଲାଦେଶୀଙ୍କ ଅବାଧ ଅନୁପ୍ରବେଶକୁ ଏକ ବିପର୍ଯ୍ୟୟ ସହିତ ତୁଳନା କରିବା ସହିତ ଭୋଟର ତାଲିକାରେ ସେମାନଙ୍କ ନାମ ଥିବାରୁ ଉଦ୍ବେଗ ପ୍ରକାଶ କରିଥିଲେ । ଲୋକସଭାରେ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ମମତା ସଂସଦରେ ଦାବି କରିଥିଲେ । ମାତ୍ର ଏହି ପ୍ରସ୍ତାବକୁ ଖାରଜ କରିଦେଇଥିଲେ ତକ୍ରାଳୀନ ଲୋକସଭା ବାଚସ୍ପତି ସୋମନାଥ ଚାଟାର୍ଜୀ । ମମତା ରାଗି ଯାଇ ଗୃହରେ ଅଧ୍ୟକ୍ଷତା କରୁଥିବା ଉପବାଚସ୍ପତି ଚରଣଜିତ ସିଂହ ଅଟୱଲଙ୍କ ଉପରକୁ କିଛି କାଗଜପତ୍ରକୁ ଫୋପାଡ଼ି ଥିଲେ । ଲୋକସଭା ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ । କହିଥିଲେ ଯଦି କେହି ଜଣେ ହେଲେ ଅନୁପ୍ରବେଶକାରୀ ପଶ୍ଚିମବଙ୍ଗକୁ ଆସିବେ ମୁଁ ତାଙ୍କୁ ଛାଡିବି ନାହିଁ । ଆଜି କିନ୍ତୁ ଭୋଟ ବ୍ୟାଙ୍କ ରାଜନୀତି ପାଇଁ ସେମାନଙ୍କ ପାଇଁ ଓକିଲାତି କରୁଛନ୍ତି । ସେତେବେଳେ ଏତେ ହଟ ଚମକ କରିଥିବା ମମତା ୧୩ ବର୍ଷ ପରେ ଆଜି କାହିଁକି ପରିବର୍ତ୍ତନ ହୋଇଗଲେ । ୨୦୦୫ର ମମତା ଆଜିର ମମତା ଭିତରେ ଆକାଶ ପାତାଳ ଫରକ । ତାଙ୍କ ହୃଦୟରେ ଅବୈଧ ଭାବେ ଦେଶରେ ବସ ବାସ କରୁଥିବା ଅନୁପ୍ରବେଶକାରୀଙ୍କ ପ୍ରତି ମମତା ବଢି ଯାଇଛି । ଆଜି ସେହି ମମତା ଅନୁପ୍ରବେଶକାରୀମାନଙ୍କୁ ନିଜେ ବାତ୍ସଲ୍ୟ ମମତା ଦେଇ କୋଳେଇ ନେବେ ବୋଲି କହିଛନ୍ତି । ସେଇଥିପାଇଁ ସେ ଆସାମକୁ ଏନ୍ଆରସି ତାଲିକାରୁ ବାଦ୍ ପଡିଥିବା ଲୋକଙ୍କ ସହ ଭେଟିବାକୁ ପ୍ରତିନିଧି ଦଳ ପଠାଇଥିଲେ କିନ୍ତୁ ଆସାମ ସରକାର ସିଲଚର ବିମାନବନ୍ଦରରେ ତାଙ୍କୁ ଅଟକାଇ ଦେଲେ । ଏଥିପାଇଁ ଆସାମ ସରକାର ଗଣତନ୍ତ୍ରକୁ ହତ୍ୟା କରିଛି ବୋଲି ଟିଏମ୍ସି ନେତାମାନେ କହି ବୁଲୁଛନ୍ତି ।
ସତରେ ମମତା ଭାରି ଦରଦୀ ମଣିଷ । ସେଇଥି ପାଇଁତ ଅବୈଧଭାବେ ଭାରତେ ପ୍ରବେଶ କରିଥିବା ଲୋକମାନଙ୍କ ପ୍ରତି ତାଙ୍କର ମମତା ଉଛୁଳି ପଡିଛି । ଖାଲି ସେତିକି ନୁହେଁ ତାଙ୍କ ନେତାମାନେ କହୁଛନ୍ତି ଦେଶରେ ଯେଉଁଠି ଜନତା ବିପନ୍ନରେ ପଡିବେ ସେଠିକି ତାଙ୍କର ସୁପ୍ରିମୋ ଓ ନେତାମାନେ ଯାଇ ସୁଖଦୁଃଖରେ ଭାଗି ହେବେ । ତାଙ୍କର ଏ ଦରଦ କେବଳ ଗୋଟିଏ ଗୋଷ୍ଠୀର ଲୋକଙ୍କ ପାଇଁ । କାଶ୍ମୀର ଓ କୌରାନାରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ହେଉଥିବା ବେଳେ ସେମାନଙ୍କୁ ଦୃଶ୍ୟ ହେଉନଥିଲା, କାରଣ ସେ ରାଜନୀତିର କଳା ଚଷମା ପିନ୍ଧିଥିଲେ । ନଚେତ ସେଠାକୁ ଯାଇ ଆହା ବୋଲି କହିଥାନ୍ତେ । ଦେଖୁନାହାଁନ୍ତି ତାଙ୍କ ରାଜ୍ୟରେ ଅନେକ ସ୍ଥାନରେ ହିନ୍ଦୁଙ୍କ ଉପରେ ଅତ୍ୟାଚର ହେଉଛି, ସେଠାକୁ ସେ କେତେଥର ଯାଉଛନ୍ତି !
୨୦୦୫ ମସିହାର ମମତା ଆଉ ୨୦୧୮ ମସିହାର ମମତା । କାହିଁକି ଏତେ ପରିବର୍ତ୍ତନ ? କେବଳ ଗୋଟିଏ ସ୍ୱାର୍ଥ-ଭୋଟ ବ୍ୟାଙ୍କ । ୨୦୦୬ରେ ହୋଇଥିବା ନିର୍ବାଚନରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଅନୁକମ୍ପା ଭୋଟ୍ ସିପିଏମ୍ ପାଇଥିଲା ବୋଲି ମମତା ଆକଳନ କରିଥିଲେ । ନିର୍ବାଚନରେ ଅନୁପ୍ରବେଶକାରୀ ବାଂଲାଦେଶୀଙ୍କ ଭୋଟ୍ ଅନେକ ମହତ୍ୱ ରଖୁଥିବାରୁ ମମତା ମଧ୍ୟ ପରବର୍ତ୍ତୀ ସମୟରେ ସେମାନଙ୍କୁ ସମର୍ଥନ ଦେବାକୁ ବାଧ୍ୟ ହୋଇଛନ୍ତି । ସେମାନଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ଦୁଇ ପାଦ ଆଗକୁ ବଢାଇଛନ୍ତି ।
ସୁପ୍ରିମକୋର୍ଟ ଯେଉଁ ଆଦେଶ ଦେଉଛନ୍ତି ତାକୁ ପାଳନ କରିବା ଏବଂ ସେହି ଆଦେଶ ଅନୁସାରେ କାମ କରିବା ଭାରତୀୟ ସମ୍ବିଧାନର ଧର୍ମ ନା ସୁପର ଇମରଜେନ୍ସି । ଗଣତନ୍ତ୍ରରେ ପ୍ରଚାର କରିବା ପାଇଁ ସମସ୍ତଙ୍କର ଅଧିକାର ଅଛି । ପଶ୍ଚିମ ବଙ୍ଗଳାରେ ବିରୋଧିଙ୍କୁ ମାରି କରି ଟାଙ୍ଗି ଦେଉଛନ୍ତି । ସଂସ୍କୃତି ଓ ପରମ୍ପରାର ସୁରକ୍ଷା ଏବଂ ମାନବ ସେବାରେ ନିଜକୁ ନିଯୋଜିତ କରିଥିବା ସମାଜସେବୀମାନଙ୍କୁ ପଶ୍ଚମବଙ୍ଗକୁ ଯିବାକୁ ବାରଣ କରାଯାଉଛି । ସଭାସମିତି କରିବାକୁ ଅନୁମତି ଦିଆଯାଉନାହିଁ । ହିନ୍ଦୁମାନେ ପର୍ବ ପର୍ବାଣୀରେ ଉତ୍ସବ କରିବାକୁ ହେଲେ ଅଦାଲତର ସାହାରା ନେବାକୁ ପଡୁଛି । ଆସାମରେତ ଏହା ହୋଇ ନାହିଁ । ଦେଶରେ ଏତେ ବଡ କାମ ହେଲା । ସେଥିପାଇଁ ରାଜ୍ୟବାସୀ ଏହା ବିରୋଧରେ ଆନ୍ଦୋଳନ କରି ନାହିାଁନ୍ତି କି ଆସାମରେ ଗୋଟିଏ ହେଲେ ବି ହିଂସାକାଣ୍ଡ ହୋଇ ନାହିଁ । ସେଥିପାଇଁ ଆସାମ ସରକାଙ୍କୁ ଧନ୍ୟବାଦ ଦେବା ଉଚିତ । ଆସାମରେ ସବୁ ଠିକ୍ ଠାକ୍ ଚାଲିଥିବା ବେଳେ କଣ ପାଇଁ ଅନ୍ୟମାନେ ସେଠାକୁ ଯିବେ । ସେଠାରେ ଦଙ୍ଗା ପାଇଁ ଉସୁକାଇବେ,ପଶ୍ଚିମବଙ୍ଗ ସରକାର ଯାହା କରୁଛନ୍ତି ତାହା ଇମରଜେନ୍ସି ନା ଆସାମ ସରକାର ଯାହା କଲେ ତାହା ଇମରଜେନ୍ସି ?
ମମତା ବାନାର୍ଜି ପ୍ରଥମରୁ ସ୍ପଷ୍ଟ କରି ଦେଇଛନ୍ତି ଯେ, ଏ ଘଟଣା ପାଇଁ ଦେଶରେ ଗୃହ ଯୁଦ୍ଧ ହେବ, ରକ୍ତ ପାତ ହେବ । ଗୃହ ଯୁଦ୍ଧ କରିବ କିଏ, ରକ୍ତ ପାତ କରିବ କିଏ ? ଆସାମର କୌଣସି ରାଜନୈତିକ ନେତା ଏ ବିଷୟରେ ଟିପ୍ଣୀ ଦେଇ ନାହାଁନ୍ତି । ଏନଆରସି ବିରୋଧରେ ବି କହି ନାହିାଁନ୍ତି । ଆସାମ ଶାନ୍ତ ଥିବା ବେଳେ ତୃଣମୃଳ ନେତାମାନେ ସେଠାକୁ କାହିଁକି ଯିବେ । ଏହି ଘଟଣା ନେଇ ତୃଣମୂଳ କଂଗ୍ରେସର ଆସାମ ସଭାପତି ନିଜ ପଦରୁ ଇସ୍ତଫା ଦେଇ ଦେଇଛନ୍ତି । କାରଣ ସେ ଜାଣିସାରିଥିଲେ ଯେ ତାଙ୍କର ନେତାମାନେ ଏଠାକୁ ଆସିଲେ ଉସୁକାଇବେ,ଦଙ୍ଗାହେବ, ରକ୍ତପାତ ହେବ । ତେଣୁ ସେ ଆଗରୁ ଇସ୍ତଫା ଦେଇଦେଲେ । ଆସାମର ଲୋକ ବଡ ବୁଦ୍ଧିମତାର ସହିତ କାମ କରୁଛନ୍ତି । ଶାନ୍ତିପ୍ରିୟ ଭାବେ କାମ କରୁଛନ୍ତି । ଦେଶର ବିଧିବ୍ୟବସ୍ଥା ସହିତ ସହଯୋଗ କରୁଛନ୍ତି । ନିଜର ପରିଚୟ ପତ୍ର ଇତ୍ୟାଦି ଯୋଗାଡକରି ଆଇନ୍କୁ ସହଯୋଗ କରୁଛନ୍ତି । ଟିଏମ୍ସି ତାଙ୍କର ଏମ୍ପି ମାନଙ୍କୁ ପଠାଇ ପରିସ୍ଥିତିକୁ ଉତେଜିତ କରିବ ବୋଲି ଆଶାକରି ଆସାମ ସରକାର ସେମାନଙ୍କୁ ବିମାନବନ୍ଦରରେ ଅଟକାଇ ଦେଇଥିଲା । ଏଥିରେ ଭୁଲରହିଲା କେଉଁଠି ?
ସବୁ କ୍ଷେତ୍ରରେ ରାଜନୀତି କଲାଭଳି ଏହି ଭଳି ସମ୍ବେଦନଶୀଳ ଘଟଣାରେ ମଧ୍ୟ ବିରୋଧି ରାଜନୀତି କରିବାରୁ ପଛାଉ ନାହାଁନ୍ତି । ଦେଶରକ୍ଷା ପାଇଁ ନା ବିଜେପିର ଦରଦ ଅଛି ନା ବିଜେଡିର ଦରଦ ଅଛି । ଭୋଟ ବ୍ୟାଙ୍କ ପାଇଁ ସେମାନେ ରାଜନୀତି କରୁଛନ୍ତି ବୋଲି ସମସ୍ତ ଅଣବିଜେପି ଦଳମାନେ ଅଭିଯୋଗ କରୁଛନ୍ତି । ଯେଉଁ କଂଗ୍ରେସ ସମୟରେ ଏହି ଘଟଣା ଆରମ୍ଭ ହୋଇଥିଲା ଏବେ ସେହି କଂଗ୍ରେସ ଏହି ଘଟଣାକୁ ହିନ୍ଦୁ-ମୁସଲିମ,ହିନ୍ଦୁ -ମୁସଲିମ କହିଚାଲିଛି । ଅବୁଝା କଂଗ୍ରେସ ବୁଝାଇବ କିଏ ? ସମସ୍ତେ ଜାଣି ରଖିହବା ଉଚିତ ଏହା ହିନ୍ଦୁ ମୁସଲିମ ବିଷୟ ନୁହେଁ । ଏହା ହିନ୍ଦୁସ୍ତାନୀ-ଅଣହିନ୍ଦୁସ୍ତାନୀ ବିଷୟ ଅଟେ । ହିନ୍ଦୁ-ମୁସଲମାନ କହି ଦେଶର ମୁସଲମାନମାନଙ୍କୁ ଭୟଭିତ କରିବା ବନ୍ଦ କରାଯିବା ଉଚିତ । ମୁସଲମାନ ବିଦ୍ୱାନମାନେ କହୁଛନ୍ତି ଯେ, ଏହାକୁ ହିନ୍ଦୁ ମୁସଲମାନ ଇସ୍ୟୁ ନକରିବା ଭଲ । ଏହାକଲେ ମୁସଲମାନମାନଙ୍କର ବେଶି କ୍ଷତି ହେବ । ପୂର୍ବତନ ସାଂସଦ ସହିଦ୍ ସଦ୍କୀ କହିଛନ୍ତି ଯେ ସୁପ୍ରିମକୋର୍ଟ ଦ୍ୱାରା ଚାଲିଥିବା ଏହି କାମରେ କୌଣସି ଭେଦଭାବ ନହେବା ଉଚିତ କି ହିନ୍ଦୁ ମୁସଲମାନ ଇସ୍ୟୁ ନହେବା ଉଚିତ ।
ନ୍ୟାସନାଲ ରେଜିଷ୍ଟାର ଅଫ ସିଟିଜେନ (ଏନଆରସି) ପକ୍ଷରୁ ଜାରି ହୋଇଥିବା ଡ୍ରାଫ୍ଟ ଅନୁଯାୟୀ ଆସାମରେ ୨ କୋଟି ୮୯ଲକ୍ଷ ୮୩ ହଜାର ୬୭୭ ବ୍ୟକ୍ତିଙ୍କୁ ନାଗରିକତ୍ୱ ମିଳିଥିବାବେଳେ ୪୦, ୦୭, ୭୦୭ ଜଣ ବାଦ୍ ପଡିଛନ୍ତି । ଏହାକୁ ନେଇ କଂଗ୍ରେସ ସଂସଦରେ ବେଶ ହଙ୍ଗାମା କରିବା ସହ କେନ୍ଦ୍ର ସରକାରଙ୍କୁ ଦୋଷ ଦେଇ ନାଟକ କରୁଛି । କଂଗ୍ରେସ ସହ ଟିଏମସି ଓ ସପା ବସପା ମଧ୍ୟ ଏହାକୁ ନେଇ ହଟ୍ଟଗୋଳ କରୁଛନ୍ତି । ତେଣୁ ଆପାତତ ବର୍ତ୍ତମାନ ଏହି ଲୋକମାନଙ୍କର ନଗରୀକତାକୁ ନେଇ ପ୍ରଶ୍ନବାଚୀ ଉଠିଛି । ଏମାନେ ଆଗାମୀ ଅଗଷ୍ଟ ୩୦ ରୁ ସେପ୍ଟେମ୍ବର ୨୮ ଯାଏଁ ୩୦ ଦିନଧରି ଚାଲିବାକୁ ଥିବା ସଂଶୋଧନୀ ପ୍ରକିୟାରେ ଭାଗନେଇ ତାଙ୍କ ନାଗରୀକତ୍ୱର ପ୍ରମାଣ ଦେବେ । ଭାରତର ରେଜିଷ୍ଟାର ଜେନେରାଲ ପଂଜୀକୃତ ଏବଂ ବାଦ୍ ପଡିଥିବା ଲୋକମାନଙ୍କୁ ଯଥା ଭାରତୀୟ ବା ଅଣ ଭାରତୀୟ ଆଖ୍ୟା ନଦେଇ ସମସ୍ତଙ୍କୁ ଆବେଦନ କରୀ ଭାବେ ଗ୍ରହଣ କରିଛନ୍ତି । ସେହିଭଳି ଲୋକସଭାରେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଜଣେ ହେଲେ ଭାରତୀୟଙ୍କୁ ଏନଆରସିରୁ ବଂଚିତ କରାଯିବନାହିଁ ବୋଲି କହିଛନ୍ତି । ଏକ ସାକ୍ଷାତକାରରେ ବିଜେପିର ରାଷ୍ଟ୍ରୀୟ ମହାସଚିବ ରାମମାଧବ ସମସ୍ତ ତଥ୍ୟର ତନଖିପରେ ସନ୍ଦିଗ୍ଧ ବ୍ୟକ୍ତିମାନେ ନିଜକୁ ଭାରତର ନାଗରୀକ ଭାବେ ସାବ୍ୟସ୍ତ କରିନପାରିଲେ ସେମାନଙ୍କ ପାଇଁ ୧୯୮୩ ମସିହାରେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ସଂସଦରେ ୧୯୮୩ ମସିହାରେ ପ୍ରୟଣନ କରିଥିବା “ଦି ଇଲିଗାଲ ମାଇଗ୍ରାଂଟସ (ଡିଟରମିନିସନ ବାଏ ଟ୍ରିବୁନାଲସ) ଆକ୍ଟ ୧୯୮୩” ଅନୁସାରେ ସେମାନେ ଟ୍ରିବୁନାଲର ଆଶ୍ରୟ ନେଇପାରିବେ । ଏହାପରେ ସେମାନେ ବଂଚିତ ହେଲେ ଆଇନ୍ ଅନୁସାରେ ନ୍ୟାୟଳୟର ସାହାଯ୍ୟ ନେଇ ପାରିବେ । ସେଥିରେ ଯଦି ଅସଫଳ ହୁଅନ୍ତି ତେବେ ସେମାନଙ୍କୁ ଦେଶରୁ ବିଦା ହେବାକୁ ପଡିବ । କିନ୍ତୁ ଏହି ସଂଖ୍ୟା ଅଧିକା ହେଲେ ତାଙ୍କ ମୂଳ ଦେଶ ସହିତ କୂଟନୈତିକ ସ୍ତରରେ ଆଲୋଚନା କରାଯିବ । ଆଲୋଚନା ଫଳପ୍ରଦ ନହେବା ପର୍ଯ୍ୟନ୍ତ ସେମାନେ ଆମ ଦେଶରେ ଶରଣାଥି ଭାବେ ମଧ୍ୟ ରହିପାରିବେ । ନିର୍ବାଚନ କମିଶନର କହିଛନ୍ତି ସେମାନେ ମଧ୍ୟ ଭୋଟଦାନ ପ୍ରକ୍ରିୟାରେ ଭାଗ ନେଇ ପାରିବେ । ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏ ଟିମ୍ ଗଠନ କରାଯାଇଛି । ସେମାନେ ପ୍ରତ୍ୟେକ ଲୋକପାଇଁ ତଥ୍ୟ ସଂଗ୍ରହ କରିବେ । ଏହାଦ୍ୱାରା କୌଣସି ଭାରତୀୟ ଅସୁବିଧାରେ ପଡିବେ ନାହିଁ । ଲକ୍ଷ ଅନୁପ୍ରବେଶକାରୀ ପଛେ ଭାରତରେ ରହି ଯାଆନ୍ତୁ କିନ୍ତୁ ଜଣେ ହେଲେବିି ଭାରତୀୟ ଯେମିତି ଅସୁବିଧାରେ ନପଡୁ ଏ ବିଷୟ ଭାରତ ସରକାର ସଚେତନ ଅଛନ୍ତି । ୪୦ଲକ୍ଷ ଲୋକଙ୍କ ନାମ ପଞ୍ଜିକୃତ ହୋଇ ନଥିବା ବେଳେ ସେମାନଙ୍କୁ ଏକ ମାସ ସମୟ ଦିଆଯାଇଛି । ଭୁଲ ତୃଟି ସଜାଡିବା ପାଇଁ ସମୟ ଦିଆ ଯାଇଛି ।
ଭାରତୀୟ ଜାତୀୟ କଂଗ୍ରେସ ଶ୍ରୀମତୀ ଗାନ୍ଧୀଙ୍କ ବେଳେ ୧୯୮୩ ଡିସେମ୍ବରରେ ଏଥିପାଇଁ ଟ୍ରିବୁନାଲ ଗଢିବାକୁ ଆଇନ୍ ପ୍ରଣୟନ କରିଥିଲେ ମଧ୍ୟ ଟ୍ରିବୁନାଲ ଗଢି ଅନୁପ୍ରବେଶକାରୀଙ୍କୁ ଦେଶରୁ ତଡିବା ପାଇଁ ସକ୍ଷମ ହୋଇନଥିଲେ । ଅନୁପ୍ରବେଶ ଯୋଗୁଁ ଆସାମରେ ଦୀର୍ଘକାଳଧରି ଆନ୍ଦୋଳନ ହେବା ସହିତ ଧନଜୀବନ ନଷ୍ଟ ହୋଇଛି । ଏଥିପାଇଁ ଲଢେଇ କରୁଥିବା ଆସାମ ଛାତ୍ର ପରିଷଦ ନିର୍ବାଚନ ରାଜନୀତିରେ ଭାଗନେଇ ବିପୁଳ ସଂଖ୍ୟାଗରିଷ୍ଠତା ଲାଭ କରିବା ସହିତ ଆସାମରେ ସରକାର ଗଠନ କରିଥିଲା । ୧୯୮୫ ମସିହାରେ ଆସାମ ସରକାର ଓ ଆସାମ ଗଣପରିଷଦର ନେତୃମଣ୍ଡଳୀ ସହିତ ମିଶି ନୂଆଦିଲ୍ଲୀ ଠାରେ ଆସାମ ଆକଡରେ ଦସ୍ତଖତ କରିଥିଲେ । ୧୯୫୧ରେ ପ୍ରସ୍ତୁତ ଏନ୍ଆରସି ଏବଂ ପାକିସ୍ତାନ ସହିତ ପୂର୍ବପାକିସ୍ତାନ ଓ ଭାରତର ଯୁଦ୍ଧ (୨୬ ମାର୍ଚ୍ଚ ରୁ ୧୬ ଡିସେମ୍ବର ୧୯୭୧) ପୂର୍ବରୁ ଅର୍ଥାତ ୧୯୭୧ ମାର୍ଚ୍ଚ ୨୫ ପୂର୍ବରୁ ଯେଉଁମାନେ ଭାରତରେ ପ୍ରବେଶ କରିଥିବେ କେବଳ ସେହିମାନଙ୍କୁ ନେଇ ଏନ୍ଆରସି ପ୍ରସ୍ତୁତ କରାଯିବ ବୋଲି ଆସାମ ଆକଡରେ ଉଲ୍ଲେଖ କରିଥିଲେ କିନ୍ତୁ ଭୋଟ ବ୍ୟାଙ୍କ ଭୟ ଏବଂ ମୁସଲିମ୍ ତୁଷ୍ଟିକରଣ ନୀତି ଯୋଗୁଁ ଏନ୍ଆରସି ପ୍ରସ୍ତୁତ କରିବାକୁ ସାହସ ଜୁଟାଇ ପାରିନଥିଲେ । ୨୦୧୨ ମସିହାରେ ଏହି ବେଆଇନ ଅନୁପ୍ରବେଶକାରୀଙ୍କୁ ରାଜ୍ୟରୁ ତଡିବାକୁ ନେଇ ଆସାମରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡରେ ୪ ଲକ୍ଷ ଲୋକ ବାସହରା ହୋଇଥିଲେ ଏବଂ ୭୦ ଜଣ ଲୋକ ମୃତ୍ୟୁ ବରଣ କରିଥିବାରୁ ଶାସନ କ୍ଷମତାରେ ଥିବା ତତ୍କାଳୀନ ଶ୍ରୀ ତରୁଣ ଗୋଗେଇଙ୍କ ସରକାର ସୈନ୍ୟବାହିନୀର ସହାୟତା ଲୋଡିଥିଲେ । ପରିସ୍ଥିତି ଶାନ୍ତ ହେବାପରେ ରାଜନୈତିକ ଫାଇଦା ପାଇଁ ସଂସଦୀୟ ନିର୍ବାଚନ ପୂର୍ବରୁ ଡିସେମ୍ବର ୨୦୧୩ରେ ଏନ୍ଆରସି ଜରିଆରେ ତୁରନ୍ତ ନାଗରୀକ ପଞ୍ଜିକରଣ ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ କିନ୍ତୁ ବାସ୍ତବରେ ଏଥିପାଇଁ କୌଣସି ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସାହସ ବା ଇଛାଶକ୍ତି ପ୍ରଦର୍ଶନ କରିପାରିନଥିଲେ ତତ୍କାଳୀନ କଂଗ୍ରେସ ସରକାର । ୨୦୧୧ ଜନଗଣନା ଅନୁସାରେ ହିନ୍ଦୁମାନଙ୍କ ସଂଖ୍ୟା ୬୧.୪୭% ଥିବା ବେଳେ ମୁସଲିମ୍ଙ୍କ ସଂଖ୍ୟା ୩୪.୨୨%ରେ ପହଂଚିଛି । ଏହି ସଂଖ୍ୟା ବିପଦ ଜନକ ଭାବେ ବଢୁଛି । ୧୯୭୧ ମସିହାରେ ବାଂଲାଦେଶ ସୃଷ୍ଟି ହେବା ଦିନ ଠାରୁ କ୍ରମାଗତ ଭାବେ ବାଂଲାଦେଶରୁ ବେଆଇନ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଆସାମ ସମେତ ମେଘାଳୟ, ପଶ୍ଚିମବଙ୍ଗ ଓ ଓଡିଶାରେ ବଢିବଢି ଚାଲିଛି ।
ସେ ସମୟରେ ଏହା ସମାଧାନ ହୋଇ ପାରିଥାନ୍ତା କିନ୍ତୁ କ୍ଷମତା ଲାଳସାରେ ଏହାକୁ ଆଡେଇ ଦେଇଥିଲେ । ଏବେ ମମତା ଓ ରାହୁଳଙ୍କ ପରି କିଛି ଅଦୁରଦର୍ଶୀ ନେତା ଭୋଟ ବ୍ୟାଙ୍କ ଫାଇଦା ପାଇଁ ଏମାନଙ୍କୁ ସମର୍ଥନ ଦେଇ ଭାରତର ଜାତୀୟ ସୁରକ୍ଷା ଓ ନିରାପତ୍ତା ପ୍ରତି ବିପଦର କାରଣ ହୋଇଛନ୍ତି । ଯେତେଶୀଘ୍ର ସମ୍ଭବ ସେମାନେ ନିଜର ଆଭିମୁଖ୍ୟ ପରିବର୍ତ୍ତନ କରିବେ ଦେଶପାଇଁ ତାହା ମଙ୍ଗଳକର ହେବ । ସୁପ୍ରିମକୋର୍ଟ ମତରେ ଆସମରେ ଏତେ ସଂଖ୍ୟାରେ ଅନୁପ୍ରବେଶକାରୀଙ୍କ ଉପସ୍ଥିତି ଦେଶର ଆଭ୍ୟନ୍ତରୀଣ ସୁରକ୍ଷାପ୍ରତି ବିପଦ ସୃଷ୍ଟି କରିବ । ଜାତୀୟ ନିରାପତ୍ତା ଯେପରି ବିପନ୍ନ ନହେଉ ସେଥି ପ୍ରତି ନଜର ଦେଇ ସମସ୍ତ ରାଜନୈତିକ ଦଳ ବିଚାର କରିବା ଉଚିତ । ଭାରତୀୟମାନଙ୍କୁ ନେଇ ଭାରତର ପରିଚୟ ସୃଷ୍ଟି ହୋଇଛି । ଭାରତର ସଂପତି ଭାରତର ନାଗରିକମାନଙ୍କ ପାଇଁ ଏହା କୌଣସି ଅନୁପ୍ରବେଶକାରୀମାନଙ୍କ ପାଇଁ ନୁହେଁ । ଏହି ଅବୈଧ ଅନୁପ୍ରବେଶକାରୀଙ୍କ ଯୋଗୁଁ ଦେଶର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେମାନଙ୍କ ଦ୍ୱାରା ନାନା ପ୍ରକାର ଅଘଟଣମାନ ସଂଗଠିତ ହେଉଛି । ନିଜକୁ ତଥାକଥିତ ଧର୍ମନିରପେକ୍ଷବାଦୀ,ସହିଷ୍ଣୁତା ବୋଲାଉଥିବା କେତେକ ଚେତନାହୀନ ମାନସର ଅପରିଣାମ ଦର୍ଶିତା ଯୋଗୁଁ ଏଭଳି ପରିବେଶ ସୃଷ୍ଟି ହୋଇଛି । ସେହିମାନେ ସାମାନ୍ୟ ରାଜନୈତିକ ସ୍ୱାର୍ଥପାଇଁ ଭୋଟବ୍ୟାଙ୍କ ଲାଳସାରେ ଜାତୀୟ ସୁରକ୍ଷାକୁ ବିପଦକୁ ଠେଲି ଦେଉଛନ୍ତି । ଏଥିପାଇଁ ଭକ୍ତପ୍ରବର ଜଗନ୍ନାଥ ଦାସଙ୍କ ମହାର୍ଘବାଣୀ ଭାଗବତରେ ରୂପ ପାଇଥିଲା - “ଆପଣା ହସ୍ତେ ଜିହ୍ୱାଛେଦି-କେ ତା’ର ଅଛି ପ୍ରତିବାଦୀ” । ବୁଦ୍ଧିଜୀବିମାନେ ଏହାର ମାର୍ମିକତା ଉପଲବ୍ଧ କରି ପ୍ରମାଦ ଗଣିଲେଣି । ଦେଶକୁ ଯଥାସାଧ୍ୟ ସୁରକ୍ଷା କରିବା ନିମନ୍ତେ ଜନମାନସକୁ ଆହ୍ୱାନ କରିଛନ୍ତି ।
ଭିଏସ୍କେ,ଓଡିଶା
୩୫,ଏନ୍ଏସି ଫ୍ଲାଟ, ୟୁନିଟ-୩, ଭୁବନେଶ୍ୱର
ମୋ-୯୮୬୧୦୨୮୫୫୩
Subscribe to:
Post Comments (Atom)
No comments:
Post a Comment