Saturday, 4 August 2018
ମୁକୁଳା ପଡ଼ିଛି ତାଳଚୁଆ ସାମୁଦ୍ରିକ ଥାନା ଅନୁପ୍ରବେଶକାରୀଙ୍କୁ ରୋକିବ କିଏ?
ରାଜନଗର,୪ା୮ ; ଓଡିଶାରେ ବାଙ୍ଗଲାଦେଶୀ ଅନୁପ୍ରବେଶକାରୀ ପ୍ରବେଶ ନେଇ ଘନଘନ ବୈଠକ ଚାଲିଛି । ତଳୁ ଉପର ପର୍ଯ୍ୟନ୍ତ ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଉଛି । ଉପକୂଳକୁ ସୁରକ୍ଷା ଦେବା ପାଇଁ ସମୁଦ୍ର ତଟବର୍ତୀ ଇଲାକାରେ ସାମୁଦ୍ରିକ ଥାନା ପ୍ରତିଷ୍ଠା କରାଯାଇଛି । ସରକାର କେବଳ ନାମକୁ ମାତ୍ର ଏହି ଥାନା ପ୍ରତିଷ୍ଠା କରିଥିବା ଅଭିଯୋଗ ହେଉଛି । ୨୦୧୪ମସିହା ଜୁନ୍ ୪ତାରିଖରେ ତାଳଚୁଆଠାରେ ଫାଣ୍ଡିକୁ ତାଳଚୁଆ ସାମୁଦ୍ରିକ ଥାନାରେ ପରିଣତ କରାଗଲା । ଇତି ମଧ୍ୟରେ ଏହି ସାମୁଦ୍ରିକ ଥାନାକୁ ୪ବର୍ଷ ପୂରି ୫ବର୍ଷ ଚାଲିଲାଣି । ବିଧିବଦ୍ଧ ଭାବରେ ଏହି ଥାନା କାର୍ଯ୍ୟକ୍ଷମ ହେବା ପାଇଁ ଆବଶ୍ୟକୀୟ କର୍ମଚାରୀ ନିଯୁକ୍ତି କରାଯାଇନାହିଁ । ଏପରିକି ଏହି ସାମୁଦ୍ରିକ ଥାନାର ନିଜସ୍ୱ ବୋଟ ଖଣ୍ଡେ ବି ନାହିଁ । ସାମୁଦ୍ରିକ ଥାନା ଅଧିକାରୀଙ୍କ ବଦଳି ପରେ ରାଜନଗର ଥାନା ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏହି ଥାନା ପାଇଁ ଜଣେ ଥାନାଧିକାରୀ(ଆଇଆଇସି)ଙ୍କ ସହ ୭ଜଣ ସବ-ଇନ୍ସିପେକ୍ଟର, ୭ଜଣ ଏଏସଆଇ, ୧୬ଜଣ ହାବିଲଦାର, ୪୮ଜଣ କନେଷ୍ଟବଳ ପଦବୀ ମଂଜୁର ପାଇଛି । କିନ୍ତୁ ବାସ୍ତବ କଥା ନିଆରା । ଏହି ଥାନାର ଆଇଆଇସି ପଦବୀ ଖାଲି ରହିଛି । ଏପରିକି ୭ଟି ସବ-ଇନ୍ସିପେକ୍ଟର ପଦବୀ ମଧ୍ୟ ଖାଲି ପଡିଛି । ୭ଜଣ ଏଏସଆଇ ପଦବୀରୁ ଜଣେ ମାତ୍ର କାମ ଚଳାଉଛନ୍ତି । ୧୬ଜଣ ହାବିଲଦାର ମଧ୍ୟରୁ ମାତ୍ର ୨ଜଣ ଅଛନ୍ତି । ସେହିଭଳି ୪୮ଟି କନେଷ୍ଟବଳ ପଦବୀ ମଧ୍ୟରୁ ମାତ୍ର ୫ଜଣ କାର୍ଯ୍ୟ କରୁଛନ୍ତି । ଏହି ଥାନା ଅଧିନରେ ତାଳଚୁଆ, ବାଘମାରୀ, ରଙ୍ଗଣୀ, କେରୁଆଁପାଳ, କୃଷ୍ଣନଗର, ଡାଙ୍ଗମାଳ ଓ ଖମାରସାହି ପଚାଂୟତ ରହିଛି । ଏହି ପଚାଂୟତଗୁଡିକ ବଙ୍ଗୋଭାଷୀ ଅଧୁଷିତ ଅଂଚଳ ଭାବେ ଜଣାଶୁଣା । ସର୍ବୋପରି ଏହି ଅଂଚଳରେ ରହିଛି ଭିତରକନିକା ଜାତୀୟ ଉଦ୍ୟାନ । ପୂର୍ବରୁ ଅନେକ ସମୟରେ ଏହି ଅଂଚଳରେ ଜାଲନୋଟ କାରବାର, ମୂର୍ତି ଚୋରୀ ର୍ୟାକେଟ, ହାମ ରେଡିଓ ସେଂଟର ପ୍ରଭୃତି ଧରା ପଡିଛି । ଏହାଛଡା ଜାତୀୟ ଉଦ୍ୟାନର ବିଭିନ୍ନ ଜୀବଜନ୍ତୁଙ୍କ ମାଂସ, ଚମଡା ଓ ସାପ ବାହାରକୁ ଚୋରା ଚାଲାଣ ଘଟଣା ଚର୍ଚ୍ଚାରେ ରହି ଆସିଛି । ଜଳପଥରେ ବାଙ୍ଗଲା ଜଳଦସ୍ୟୁମାନେ ଫରେଷ୍ଟ ଗାର୍ଡ ଶ୍ୟାମ ସିଂହଙ୍କୁ ସମୁଦ୍ର ମଧ୍ୟରେ ଗୁଳି କରି ମାରିଦେବା ଘଟଣା ସମଗ୍ର ରାଜ୍ୟରେ ଆତଙ୍କ ଖେଳାଇ ଦେଇଥିଲା । ଅପରପକ୍ଷରେ ଆତଙ୍କବାଦୀମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିବା ନଜିର ରହିଛି । କିନ୍ତୁ ଯେଉଁ କେତେକ ସ୍ୱଳ୍ପ କର୍ମଚାରୀ ଅଛନ୍ତି ସେମାନଙ୍କୁ ଚିରାଚରିତ ଠେଙ୍କା ଓ ପୁରୁଣା ବନ୍ଧୁକ ସାହାଯ୍ୟରେ କିଭଳି ଏମାନଙ୍କ ମୁକାବିଲା କରିବେ, ଯାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି । ସମୁଦ୍ର କୂଳବର୍ତୀ ଏଭଳି ଏକ ସ୍ପର୍ଶକାତର ଅଂଚଳରେ ସାମୁଦ୍ରିକ ଥାନା ପ୍ରତିଷ୍ଠା ପରେ ଲୋକମାନେ ନିଜକୁ ନିରାପଦ ମଣୁଥିଲେ । ସରକାର ବାହାରକୁ ଦେଖାଇ ହେବା ଭଳି ସାମୁଦ୍ରିକ ଥାନା ପ୍ରତିଷ୍ଠାର ଦୀର୍ଘ ୪ବର୍ଷ ପରେ ମଧ୍ୟ ପଦବୀ ଖାଲି ପଡିବା ସହ ଜଳ ପଥରେ ଦେଖାଶୁଣା କରିବା ପାଇଁ ବୋଟ ଖଣ୍ଡେ ନମିଳିବା ଘଟଣାରେ ବାଙ୍ଗଲାଦେଶୀ ଅନୁପ୍ରବେଶକାରୀଙ୍କ ଅବାଧ ପ୍ରବେଶକୁ କିଏ ରୋକିବ, ଯାହାକୁ ନେଇ ଉପକୂଳବର୍ତୀ ଅଂଚଳବାସୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
Subscribe to:
Post Comments (Atom)
No comments:
Post a Comment